Unknown

 

 

 

 

 

 

 

 

ବନ୍ଦୀର ଆତ୍ମକଥା

ଉତ୍କଳମଣି ଗୋପବନ୍ଧୁ ଦାସ

 

(୧)

 

“ଦେଶବାସୀ ବନ୍ଧୁ ଆତ୍ମୀୟ ସୋଦର,

କାରାଦଣ୍ଡେ ମୋର ହେଲ କି କାତର ?

ଥିଲା ଏହା ଆଗୁ ଜଣାଶୁଣା କଥା,

ସେଥିପାଇଁ ତେବେ କିପାଁ ମନେ ବ୍ୟଥା ।

କାତରତା ସିନା କାପୁରୁଷପଣ,

ବୀର ମାରେ ଅବା ମରେ କରି ରଣ ।

ପଛଘୁଞ୍ଚା ନାହିଁ ବୀରର ଜାତକେ,

ନ ମରେ ସେ କେଭେଁ ପରାଣ ଆତଙ୍କେ

ଜାଣିଛି,ଲାଗିଛି ଏ ଶାନ୍ତି-ସମର,

ନାହିଁ ଏଥି ତୋପ ହାତହତିଆର ।

ବଳ ବା ବିଭବ ନାହିଁ ଏଥି ଲୋଡ଼ା,

ନାହିଁ ଲୋଡ଼ା ଯାନ ରଥ ହାତୀ ଘୋଡ଼ା ।

ଆଧ୍ୟାତ୍ମିକ ବାଳେ ଲାଗିଛି ଲଢ଼ାଇ,

ଭାଙ୍ଗିବାକୁ ପଶୁବଳର ବଡ଼ାଇ ।

ଛାଡ଼ି ଧନ-ଆଶା ଘରଦ୍ଵାର-ମାୟା

ଅସଙ୍ଗଶସ୍ତ୍ରେ ଯେ ସାଜିଅଛି କାୟା ।

ଅହିଂସା-ବଳରେ ଯେହୁ ବଳୀୟାନ,

ଏ ରଣାପ୍ରାଙ୍ଗଣେ ତା’ର ଏକା ସ୍ଥାନ ।

ଏଥିରେ ପ୍ରଥମ ଫଳ କାରାଦଣ୍ଡ,

ପଛେ ହୋଇପାରେ ଦେହ ଖଣ୍ଡ ଖଣ୍ଡ ;

ବୁଝି ଏହା ମୁହିଁ ପଶିଛି ସଂଗ୍ରାମେ,

ନାହିଁ ମୋ ବିଚାର ମାନ ଅପମାନେ ।

ମିଶୁ ମୋର ଦେହ ଏ ଦେଶମାଟିରେ,

ଦେଶବାସୀ ଚାଲିଯାଆନ୍ତୁ ପିଠିରେ ।

ଦେଶର ସ୍ଵରାଜ୍ୟ-ପଥେ ଯେତେ ଗାଡ଼

ପୂରୁ ତହିଁ ପଡ଼ି ମୋର ମାଂସ-ହାଡ଼ ।

ସ୍ଵାଧୀନତା-ପଥେ ତିଳେ ହେଲେ ନର

ମୋ ଜୀବନ ଦାନେ ହେଉ ଅଗ୍ରସର ।

ମଙ୍ଗଳମୟଙ୍କ ସୁମଙ୍ଗଳ ଇଚ୍ଛା

ପୂରୁ ଏ ପରାଣେ ଏହି ଶେଷ ଭିକ୍ଷା ।"

Image

 

(୨)

 

"ହେ ଉତ୍କଳବାସି ମୋ ଭାଇ ଭଉଣି,

ମୋ ଦଣ୍ଡ-ବାରତା ସର୍ବେ ଥିବ ଶୁଣି ।

ଶୁଣି କି ହେ ମନେ କରିଛ ଶୋଚନା ?

ଶୋଚନା କିପାଁ ? ଏ ମୋ କର୍ମ ରଚନା ।

କହୁଥିଲି ପରା ବୁଲି ଗ୍ରାମ ଗ୍ରାମ,

‘ଦେଶ ପାଇଁ ଦଶ ପାଇଁ କରି କାମ,

ମିଳେ ଯଦି କାହା ଭାଗ୍ୟେ କାରାବାସ,

କାରା ନୁହଇ ସେ ପବିତ୍ର ପ୍ରଭାସ ।

ଆସି ଏଥି ସୁଦ୍ଧା ଏବେ ମୋ ବିଚାର,

ଏ ଜାତୀୟ-ମୁକ୍ତି-ସ୍ଵରଗ-ଦୁଆର ।

ନୀରବେ ଭୋଗୁଛି ବସି କାରାବାସ

ଚାହୁଁ ଚାହୁଁ ଏବେ ଗଲା ଚାରିମାସ ।

ଏହିପରି ଗଲେ ଚଉବିଂଶ ମାସ

ଫିଟିବ ମୋହର ବନ୍ଧ ନାଗଫାଶ ।

ବରଷାରେ ମହାନଦୀ-ସ୍ରୋତ ପ୍ରାୟେ

ଦିନ ପରେ ଦିନ କେଡ଼େ ବେଗେ ଯାଏ ।

କାଲି ପରି ମୋର ପୂରିବ ମିଆଦ,

ଦିଅ ଭାଇ ମୋତେ ଏହି ଆଶୀର୍ବାଦ-

ମୁକୁଳି ଦ୍ଵିଗୁଣ ତେଜେ ନବ ବଳେ

ଖଟେ ଯାଇ ପୁଣି ତୁମ୍ଭ ପାଦତଳେ ।

ପୂର୍ବ ପୁରୁଷର ପବିତ୍ର ଶ୍ମଶାନ

ଦେଶର ଜାତିର ଗଉରବ ଗାନ ।

ପୁଣ୍ୟ ଜନ୍ମମାଟି ପୁଣ୍ୟ ଦେବାଳୟ

ଉଦ୍ଧରିବା ପାଇଁ କଲେ ତନୁ କ୍ଷୟ,

ମାନବଜନମ ହୁଅଇ ସଫଳ

ଏ ମହାଦୀକ୍ଷା କି ବୁଝିବ ଉତ୍କଳ ?

ଜାତୀୟ ମମତା ବିଶ୍ଵଜନ-ପ୍ରୀତି,

ଉତ୍କଳବାସୀର ହେଉ ଏହା ନୀତି,

ନୀରବ ନିଶ୍ଚଳେ ବସି ବନ୍ଦୀଘରେ,

ମାଗେ ଏହି ଭିକ୍ଷା ପ୍ରଭୁ ଶ୍ରୀ ପୟରେ ।”

Image

 

(୩)

 

“ମୋ ଭାଇ ଭଉଣୀ ହେ ଉତ୍କଳବାସି,

ସ୍ଵରାଜ୍ୟ-ସାଧନେ ନ ହୁଅ ଉଦାସୀ ।

ଯେ ଦୀକ୍ଷାରେ ଥରେ କରିଛ ବିଶ୍ଵାସ,

ନ ଛାଡ଼ ତା ଥିବା ଯାଏଟି ନିଶ୍ଵାସ ।

ସ୍ୱରାଜ୍ୟ ମାନବ ଜନ୍ମ ଅଧିକାର,

ଏହା ବିନେ ଦେଶ ହୁଏ ଛାରଖାର ।

ଅଙ୍ଗେ ନିଭାଉଛ କେତେ କି ଅବସ୍ଥା,

ଅନ୍ନ ବସ୍ତ୍ର ଆଉ ହେବ କି ହେ ଶସ୍ତା ?

ବନ୍ଦୋବସ୍ତ ପରେ ଆସେ ବନ୍ଦୋବସ୍ତ,

ପ୍ରଜାକୁଳ କ୍ରମେ ଭଜିଲେଣି ଅସ୍ତ ।

କେତେ ମାସେ କେତେ ପ୍ରକାରରେ କର,

ଦେଇ ପ୍ରଜାଙ୍କର ଭାଙ୍ଗିଲାଣି ଘର ।

ଖାଇବା ବାସନ ହେଉଛି ନିଲାମ,

ତେବେ ହେଲେ ନାହିଁ କରର ବିରାମ ।

ସହି ନାନା ଦୁଃଖ ଯାତନା ଅନ୍ତତ,

ନାହିଁ ଆଉ ତୁମ୍ଭ ଶରୀରେ ରକତ ।

ଜାଣେ ମୁଁ କରୁଛ ନାନା ଆଡ଼ୁ ଭୀତି,

ଡରାଇ ଶାସିବା ହୀନ ରାଜନୀତି ।”

“ରହିବ ନାହିଁ ଏ ନୀତି କାଳେ କାଳେ,

ନାଶଯିବ ସତ୍ୟ-ନ୍ୟାୟକରବାଳେ ।

ପ୍ରଜା ଲାଗି କଲେ ପ୍ରଜାପତିସୃଷ୍ଟି,

ପ୍ରଜା ଲାଗି ଇନ୍ଦ୍ର କରେ ଜଳ ବୃଷ୍ଟି ।

ପ୍ରଜା ଲାଗି ଉଦେ ରବି ଶଶୀ ତାରା,

ପ୍ରଜା ଲାଗି ବହେ ଶତ ନଦୀଧାରା ।

ପ୍ରଜା ଲାଗି ରାଜ୍ୟ,ପ୍ରଜାର ଶାସନ,

ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ ।

ଭାରତର ରାଜଧର୍ମ ସନାତନ

ପରଜା ରକ୍ଷଣ ପାଳନ ରଞ୍ଜନ ।

ସ୍ଵରାଜ୍ୟେ ଏ ନୀତି ହୋଇବ ପ୍ରଚାର,

ନ ରହିବ ଆଉ ଦୁଃଖ ଦୁରାଚାର ।

ନ ସହିବ କଷ୍ଟ କେହି ଅନାହାରେ,

ନ ମରିବ ଦୁଃଖୀ ଧନୀଙ୍କ ପ୍ରହାରେ ।

ଡରାଇ ଶାସିବା ନୀତି ଭାଙ୍ଗିଯିବା,

ପ୍ରଜାଙ୍କ ମତରେ ଶାସନ ଚାଲିବ ।

ଏହି ନବ ଯୁଗ ଆଣିବା ସକାଶେ,

ଗାନ୍ଧି ରହିଛନ୍ତି ସିନା କାରାବାସେ ।

ଭାରତର କେତେ କେତେ ମହାଜନ

ବନ୍ଦୀଶାଳେ ଏବେ କଟାନ୍ତି ଜୀବନ ।

ମୁଁ ଅତି ସାମାନ୍ୟ ତାଙ୍କ ଅନୁଚର,

ତୁମ ଅକିଞ୍ଚନ ଆତ୍ମୀୟ ସୋଦର ।

ଉତ୍କଳମାତାର ଆଉ କେତେ ସୁତ-

ସଙ୍ଗେ କାରାଗାରେ କଲି ପିଣ୍ଡ ପୂତ ।

ବସି ଏଥି ସଦା ରହିଛି ଅନାଇଁ

କାରାଗାର-ଛିଦ୍ରେ ତୁମ ଆଡ଼େ ଭାଇ !

ଅରଟ ଚଳାଅ ପ୍ରତି ଘରେ ଘରେ,

ଗ୍ରାମର କଳହ ତୁଟାଅ ଗ୍ରାମରେ ।

ଚାଲ ସତ୍ୟପଥେ ନାହିଁ ଡର ଭୟ,

ଅସହଯୋଗରେ ବିଜୟ ନିଶ୍ଚୟ ।

ଛାଡ଼ ଉଚ୍ଚ ନୀଚ ଭେଦ ଅହଙ୍କାର,

ହେଉ ନୀଳାଚଳୁଁ ସମତା ପ୍ରଚାର ।

ଖଣ୍ଡଗିରି ଭେଦି ଅହିଂସା-ମନ୍ତର

ନୀଳାଚଳନାଥ ପ୍ରଭୁ ଶ୍ରୀନିବାସ

ପୂରାଇବେ ଆଶା ରଖ ଏ ବିଶ୍ଵାସ ।”

Image

 

(୪)

 

“ଭାରତେ ଉତ୍କଳ ମହା ପୁଣ୍ୟଧାମ,

ଭାରତପାଞ୍ଜିରେ ନ ଥିଲା ତା ନାମ ;

ସାହସ, ସାହିତ୍ୟ, ଧନ, ମାନ ବଳେ

ଉତ୍କଳର ନାମ ସମସ୍ତଙ୍କ ତଳେ ।

ଭାରତ ଜାତୀୟ ମହାସମ୍ମିଳନେ

ନ ବସେ ଉତ୍କଳ ସ୍ଵତନ୍ତ୍ର ଆସନେ ;

ତେଣୁ ଜଗନ୍ନାଥ କରୁଣାନିଧାନ

କରୁଣା କଟାକ୍ଷେ କଲେ ଅବଧାନ ।

ଅସହଯୋଗର ପବିତ୍ର ସରିତ

ଉତ୍କଳର ବକ୍ଷେ ହେଲା ପ୍ରବାହିତ ।

ଗାନ୍ଧି ଭଗୀରଥ ନିଜ ପୁଣ୍ୟବଳେ

ଆଣିଲେ ଅସଙ୍ଗ ଜାହ୍ନବୀ ଉତ୍କଳେ ।

ହିମାଚଳଠାରୁ ସୀମାଚଳ ଧରି

କୁମାରିକା ଯାଏ ଖେଳିଲା ଲହରୀ ।

ଉତ୍କଳେ ସେ ପୁଣ୍ୟ ସ୍ରୋତ ଶତ ଧାରେ

ବହେ ପୁରପଲ୍ଲୀ କାନ୍ତାରେ ପ୍ରାନ୍ତରେ ।

ଉତ୍କଳେ ଅସଙ୍ଗ-ପ୍ରବାହେ ତ୍ଵରିତ

ବାହୁଛନ୍ତି ଯେହୁ ସ୍ଵରାଜ୍ୟ-ବୋଇତ,

ସେ ଦଳରେ ମୁହିଁ ଅକିଞ୍ଚନ ଜଣେ

ମୋଡ଼ୁଥିଲି ନାବ-ମଙ୍ଗ ପ୍ରାଣପଣେ ।

ସ୍ଵରାଜ୍ୟବଇରୀ ଦଳ ହାତେ ପଡ଼ି

ମୋ ହାତେ ଲାଗିଛି ଏବେ ଲୁହାକଡ଼ି ।

ଆଉ କେତେ ଜଣ ନାଉରିଆ ଭାଇ

ମୋ ସଙ୍ଗତେ ସମ ଦଶା ଛନ୍ତି ପାଇ ।

ଉତ୍କଳନିବାସୀ ଏ ଦଶା ଦେଖିଣ

ନିରାଶରେ ବଳ କର କି ହେ କ୍ଷୀଣ ?

କର କି ଭାବନା କାଣ୍ଡାରି୫ ବିହୁନେ

ଚାଲିବ ସ୍ଵରାଜ୍ୟ-ବୋଇତ କେସନେ ?

ନ ଅଟକେ କର୍ମ ନେତାର ଅଭାବେ

ଧର୍ମ-ନାବ ଚଳେ ଧର୍ମର ପ୍ରଭାବେ ।

ବିଶେଷେ ଉତ୍କଳେ ନାହିଁ ପ୍ରୟୋଜନ ;

ଉତ୍କଳର ନେତା ନିଜେ ନାରାୟଣ ।

ଇତିହାସେ ଶୁଣିଅଛ ଜନଶ୍ରୁତି

କାଞ୍ଚିଯୁଦ୍ଧ କାଳେ ଉତ୍କଳ ବିଭୁତି ।

ଶୁଣିଛ ତ ପ୍ରଭୁ ନୀଳାଦ୍ରିନାୟକ

ବିଜେ ଧରି ହାତେ କୃପାଣ ଶାୟକ,

ଉତ୍କଳ ପ୍ରଧାନ ସେନାପତି ପଣେ

ହୋଇଥିଲେ ବିଜେ ସମର-ପ୍ରାଙ୍ଗଣେ ।

ଉଡ଼ିଲା ଉତ୍କଳ ଜୟ-ବୈଜୟନ୍ତୀ

ଆଜିଯାଏ ଏହା ଗାଏ କିମ୍ବଦନ୍ତୀ ।

ଏବେ ସୁଦ୍ଧା ଦେଖ ନୀଳାଚଳେ ଯାଇ

କଳା ଧଳା ଘୋଡ଼ା ପରେ ବେନି ଭାଇ,

ବୀରମୂର୍ତ୍ତି ଦିଶେ ଯେହ୍ନେ ଅଗ୍ନିଶିଖା

ଦଧି ମୂଲ୍ୟ ମାଗେ ଛାମୁରେ ମାଣିକା ।

ଏ ଛବି ତ ନୁହେ ଶିଳ୍ପୀର କଳ୍ପନା ;

ଏ ସତ୍ୟର ସାକ୍ଷୀ ମାଣିକପାଟଣା ।

ଏହି ସେ ଉତ୍କଳ ପୁଣ୍ୟ ଦେବସ୍ଥଳୀ

ହୋଇଛନ୍ତି ଠୁଳ ଯହିଁ ତୀର୍ଥାବଳୀ ।

ତା ମଧ୍ୟେ ବିରାଜେ ପୁଣ୍ୟ ନୀଳାଚଳ

ଭାରତର ଧର୍ମ-ହୃଦ-ଶତଦଳ ।

ଏବେ ନୀଳାଚଳେ ବିଜେ ଜଗନ୍ନାଥ

ତେବେ କିପାଁ କହ ଉତ୍କଳ ଅନାଥ ?

ନାହିଁ ପୂର୍ବ ବଳ, ନାହିଁ ପୂର୍ବ ଧର୍ମ,

ନାହିଁ ପୂର୍ବ ସତ୍ୟ, ନାହିଁ ପୂର୍ବ କର୍ମ ।

ଉତ୍କଳବାସୀର ଦେଖି ଏ ଦୁର୍ଗତି

ଦାରୁଭୂତ ଏବେ ନୀଳାଚଳପତି ।

ମାତ୍ର ବୁଝ ଭାଇ, ହେଲେ ଧର୍ମବଳ

ନବ ତେଜେ ପୁଣି ଜାଗିବ ଉତ୍କଳ ।

କ୍ଷୀଣ ହେଲେ କେବେ ଧାର୍ମିକ ଶକତି

ଆସନ୍ତି ଓହ୍ଲାଇ ପ୍ରଭୁ ବିଶ୍ଵପତି ;

ନିତ୍ୟଧାମୁ ଛାଡ଼ି ରତ୍ନସିଂହାସନ

କରିବାକୁ ଧର୍ମପକ୍ଷ ସମର୍ଥନ ।

ଏ ବିଶ୍ଵାସେ ମନ ଦୃଢ଼କର ଭାଇ,

ନେତାର ଅଭାବ ଲାଗି ଭାବ ନାହିଁ ।

କର୍ମଭୂମେ କିଏ ନେତା କେବା ନୀତ,

ସରବେ ନିମିତ୍ତ ବିଧି-ନିୟୋଜିତ ।

ଉତ୍କଳନିବାସୀ ସର୍ବ ନରନାରୀ,

ଘେନ ହେ ଏ ବନ୍ଦୀଭାଇର ଗୁହାରି-

ଦଗ୍‌ଧ ହେଉ ଦେହ, ଭସ୍ମ ହେଉ ଘର

ସ୍ଵରାଜ୍ୟ-ସାଧନେ କେବେହେଁ ନ ଡର ।

ନ ଛାଡ଼ ସାହସ, ନ ହୁଅ ନିରାଶ,

ହେଲେ ହେଉ ପଛେ କାରାଗାର ବାସ ।

ନ ହୁଡ଼ ସ୍ଵରାଜ୍ୟ ଶାନ୍ତି-ସତ୍ୟ-ପଥ

ଲାଗୁ ସିଂହଦ୍ଵାରେ ନନ୍ଦିଘୋଷ ରଥ ।”

Image

 

(୫)

 

“ଶାସନ-ରକ୍ଷକ କଟୁଆଳ ଦଳ

ନେଉଛନ୍ତି ମୋତେ ଛଡ଼ାଇ ଉତ୍କଳ ।

ରଖି ଆସିବେ ସେ ଆନ କାରାଗାରେ

କାହିଁ ବହୁ ଦୂରେ ଉତ୍କଳ ବାହାରେ ।

ନ ଦେଖିବେ ବୋଲି କେହି ଦେଶଭାଇ

ଗଭୀର ନିଶୀଥେ ନିଅନ୍ତି ଲୁଚାଇ ।

ନିଅନ୍ତୁ ଯେପରି ରଖନ୍ତୁ ଯେ ବିଳେ,

ସେଥିଲାଗି ମୋର ଦୁଃଖ ନାହିଁ ତିଳେ ।

ମାତ୍ର ଉତ୍କଳୁଁ ମୁଁ ଯାଇଛି ଯେ ଦୂରେ

ବାଜିଲେ ଏ ବାର୍ତ୍ତା କାଲି ପଲ୍ଲୀପୁରେ,

ଜାଣେ ଉତ୍କଳର କେତେ ନରନାରୀ

ବ୍ୟଥିତ ପରାଣେ ହେବେ ନିଶ୍ଚେ ଘାରି ।

ନିରାଶେ କହିବେ କେହି ଆହା ଆହା,

ଆନେ ବୋଲିବେ ସେ ପଥେ ଫଳ ତାହା ।

ଗ୍ରାମୁଁ ଗ୍ରାମାନ୍ତରେ ଗଲେ ଏ ସମ୍ବାଦ,

ପଲ୍ଲୀ ନରନାରୀ ଭଜିବେ ବିଷାଦ ।

କେଜାଣି କେ ଅବା ପାଇ ବୃଥା ଭୟ

ଅସହଯୋଗରୁ ଛାଡ଼ିଦେବ ଲୟ-

ଏ ଭାବନା ଏକା ମନ୍ଥେ ମୋ ଅନ୍ତର

ନିଜ ନିର୍ବାସନେ ନୁହେ ମୁଁ କାତର ।

ମନେପଡ଼େ କେତେ ଅଞ୍ଚଳର ଭାଇ,

ଡାକିଥିଲେ ତେଣେ ଥରେ ଯିବା ପାଇଁ ।

କେତେ କେତେ ଗ୍ରାମେ ବୁଲି ଦ୍ଵାର ଦ୍ଵାର

କହିଛି ସ୍ଵରାଜ୍ୟ-ଶୁଭସମାଚାର ।

ତଥାପି ରହିଛି କେତେ ସ୍ଥାନ ବାକି

ମୋ ଯିବାକୁ ଲୋକେ ରହିଥିଲେ ଟାକି ।

କେବେ ଫେରି ପୁଣି ଯାଇ ତାଙ୍କ ପାଶେ

କ୍ଷମା ମାଗିବି ମୋ ବିଳମ୍ବ ସକାଶେ ।

ଦେଖିବି କେବେ ସେ ପ୍ରିୟଜନ ମୁଖ

ଏ ଭାବନା ଏବେ ଜନମାଏ ଦୁଃଖ ।

ହେ ଉତ୍କଳବାସି, ମୋ ଭାଇ ଭଉଣୀ,

କରିଅଛ ସ୍ନେହେ ମୋତେ ଚିରଋଣୀ ।

ଯାଇଅଛି ଯହିଁ ପାଇଛି ଆଦର

ଶୁଣିଛ ଶ୍ରଦ୍ଧାରେ ସନ୍ଦେଶ ମୋହର ।

ତୁମ୍ଭ ହିତେ ମୋର ଦୁର୍ବଳ ପ୍ରୟାସ

ଜାଣେ କରିଅଛ ମନେ ଏ ବିଶ୍ଵାସ ।

ମୋ ସମ୍ବଳ ତୁମ୍ଭ ସେନେହ ଶରଧା

ସୁମରୁଥିବି ମୁଁ ଯହିଁ ଥିଲେ ସଦା ।

କିନ୍ତୁ ମୋ ବିରହେ କେବଳ ଶୋଚନା

କାରାରେ ନ ଦେବ ଏ ପ୍ରାଣେ ସାନ୍ତ୍ଵନା ।

ଦେଖିଛି ଉତ୍କଳେ ଯେ ଦୃଶ୍ୟ ନୟନେ

ଡରାଏ ତା ଭୂତ ପରାୟେ ଶୟନେ ।

କେତେ କେତେ ଚାଷୀ ଭଲ ଭଲ ଲୋକ

ନ ପାନ୍ତି ଦି’ ବେଳା ପେଟପୂରା ଢୋକ ।

ଥିଲେ ଯେଉଁ ମଲ୍ଲ ଉତ୍କଳ ସୈନିକ

ପାଇକ ପ୍ରଧାନ ମାଗୁଛନ୍ତି ଭିକ ।

ଦେହେ ନାହିଁ ମାଂସ ଦୋହଲୁଛି କଣ୍ଟା,

ଅନାହାରେ ଆହା ନ ଉଠଇ ଅଣ୍ଟା,

ଅର୍ଜନ୍ତି ଯା’ ତୁଣ୍ଡେ ମାରି ମୁଣ୍ଡଝାଳ

ଦୁଷ୍ଟ ମହାଜନ, ଗ୍ରାମ କଟୁଆଳ ;

ପ୍ରଜାରକ୍ତ ଶୋଷି କେତେ ଜମିଦାର

ହରନ୍ତି ସର୍ବସ୍ଵ ବଜାଇ ପାହାର ।

ଉତ୍କଳର କେତେ କନ୍ୟା ନାରଖାର

ନ କରନ୍ତି ପେଟ ପୂରାଇ ଆହାର ।

ଲଜ୍ଜା ଢାଙ୍କିବାକୁ ନ ପାନ୍ତି ବସନ,

ଫୁଟେ ନାହିଁ କେବେ ଅଙ୍ଗେ ଯଉବନ ।

ଚିକିତ୍ସା ନ ପାଇ ଘରକଣେ ପଡ଼ି

ରୋଗ, ଅନାହାରେ କେବାମରେ ଗଡ଼ି ।

ଉଦରଜ୍ୱାଳାରେ କେତେ ନରନାରୀ

ଛାଡ଼ି ଘରଦ୍ଵାର ଯାଆନ୍ତି ବାହାରି ।

ପଡ଼ିଅଛି ଡିହ କାହିଁ ବା ଚାଳିଆ

ଶ୍ମଶାନ ପରାୟେ ଦିଶେ ନିଛାଟିଆ ।

ପଶିଗଲେ ଗ୍ରାମେ ନ ଶୁଭେ ଶବଦ,

ବେଦମନ୍ତ୍ର କିବା ଭାଗବତ ପଦ ।

ଗ୍ରାମବାସୀଗଣେ ନାହିଁ ପୂର୍ବ ମେଳ,

ଶିଶୁଖେଳେ ଦାଣ୍ଡ ନ ହୁଏ ଉଦ୍‌ବେଳ ।

ଶୋଇଅଛି ଭାଙ୍ଗି ଗ୍ରାମ ଦେବାଳୟ,

ପୂରିଲାଣି ପଙ୍କବଦ୍ଧେ ଜଳାଶୟ ।

ଗ୍ରାମର ଗୋକୁଳ କ୍ରମେ ଅତି କ୍ଷୀଣ,

ଯେଣେ ଅନାଇବ ସବୁ ଶିରୀହୀନ ।

ନାହିଁ ଜନମୁଖେ ସତ୍ୟ-ଧର୍ମକାନ୍ତି,

ନାହିଁ ହୃଦେ ଶୌଚ ପ୍ରାଣେ ସ୍ନେହ ଶାନ୍ତି ।

ପର ପ୍ରବଚନା କଚେରି-ବିଚାର

ଗ୍ରାମମୁଖିଆଙ୍କ ନିତ୍ୟ କାରବାର ।

ଆତ୍ମୀୟ ସୋଦର ପ୍ରତିବେଶୀ ସହ

ନିଜ ସ୍ଵାର୍ଥ ଲାଗି ଲଗାନ୍ତି କଳହ ।

ରାଜଦରବାରେ ବୃଥା ଅର୍ଥକ୍ଷୟ,

ଶେଷେ ସମଦଶା ଜୟ ପରାଜୟ ।

ଶାସନ-କୁହୁକେ ସର୍ବେ ଅବସନ୍ନ

ବ୍ୟାଧଜାଲେ ପଡ଼ି କପୋତ ଯେସନ,

ଜାଲେ ହଣାହଣି ସ୍ଵଦଶା ନ ଜାଣି,

ଫଳେ ସର୍ବନାଶ ଧର୍ମ-ଅର୍ଥହାନି ।

ଦେଖିଣ ବିଦେଶୀ ଦ୍ରବ୍ୟ ଝଲମଲ,

ଲୋଡ଼ନ୍ତି ପତଙ୍ଗ ଯେସନ ଅନଳ ।

ହେଉଅଛି କଂସା ହଡ଼ା ଜମିବିକା,

ବୁଡ଼ିଲାଣି କେତେ ଜାତିର ଜୀବିକା ।

ଏହା ପରେ କ୍ରମେ ବଢ଼େ କର-ଦାଉ,

ଏ ଦଶା ରହିବ କେତେ ଦିନ ଆଉ ?

ସରିଲାଣି ସାର ପଡ଼ିଅଛି ସିଠା

ନାହିଁ ଗର୍ଭେପୁର ଦିଶେ ପୋଲା ପିଠା ।

ଉଭେଇଛି ଖଣ୍ଡା ଦୋହଲଇ ଖାପ

ରହିଛି ଅଙ୍ଗାର ନାହିଁ ତେଜ ତାପ ।

ପଡ଼ିଅଛି ପିଣ୍ଡ ଯାଇଛି ପରାଣ,

ଦେଖିଲେ ଏ ଦଶା ବୁଡ଼େ ବୁଦ୍ଧି-ଜ୍ଞାନ ।

ସଢ଼ି ମଞ୍ଜ ଗଛେ ରହିଛି ବକଳ,

ସୁନ୍ଦର ସକଳ ବିକଟ ବିକଳ !

ଫେରିବ ଏ ଦଶା ସୁଖୀ ହେବ ପ୍ରଜା,

ଉଷୁନା ଧାନ କି ସତେ ହେବ ଗଜା ?

ଉତ୍କଳର ଏହି ଚିତ୍ର ନିଦାରୁଣ

ନାଚଇ ମୋ ଆଖି ଆଗେ ପୁଣ ପୁଣ ।

ଏକେ କାରାବାସ ଦୂର ପରଦେଶ

ଦେଶଦଶା ତହିଁ ମନେ ଦେଲେ କ୍ଲେଶ ;

କି ଭାବି ପରାଣେ ପାଇବି ଆଶ୍ୱାସ,

ପୋଛିବି ଲୋତକ ଧରି କି ସାହସ ?

ହେ ଉତ୍କଳବାସୀଆତ୍ମୀୟ ସ୍ଵଜନ!

ମୁଁ ଯେବେ ତୁମ୍ଭର ସେନେହଭାଜନ,

କର ଯୋଡ଼ି କରେ ବିନତି ଏତିକି,

ଅସହଯୋଗରେ ରଖିବ ମତିକି ।

ଢାଳିଦିଅ ପ୍ରାଣ ସ୍ଵରାଜ୍ୟ-ସାଧନେ,

ଆଶ୍ଵାସିବ ଯେବେ ମୋତେ ନିର୍ବାସନେ ।

ନ ହୁଅ ନିରାଶ, ନ ହୁଅ ଦୁଃଖିତ,

ଉତ୍କଳର ଦେଖି ଦୁଃଖମୟ ଚିତ୍ର ।

ସୁଖ-ଦୁଃଖ-ଚକ୍ର ଘୂରେ ନିରନ୍ତର,

ଏକ ପରେ ଆନ ଆସିବ ମୁକର ।

ଆଲୁଅ ଅନ୍ଧାର ଖେଳେ ଲୁଚୁକାଳି,

ଆସିବ ଆଲୁଅ ପଡ଼ିଲାଣି ପାଳି ।

ପହଞ୍ଚିଛି ଏବେ ସେ ମାହେନ୍ଦ୍ର ବେଳା

କର ନାହିଁ ଭାଇ,ଏତେବେଳେ ହେଳା ।

ଉଇଁ ଆସୁଅଛି ସ୍ୱରାଜ୍ୟ-ତପନ,

ଭାରତେ ଜାଗ୍ରତ ନରନାରୀଗଣ ।

ଘୁମାଇ ନ ରହ ଏ ସମୟେ ଆଉ,

ଉଠ ଉଠ ବେଗେ ବେଳ ଥାଉଁ ଥାଉଁ ।

ଥରେ ଭଲ ଭାଇ ମନରେ ବିଚାର,

କିପାଇଁ ମହାତ୍ମା ଏତେ ନାରଖାର !

କ୍ଷୀଣ ଅଙ୍ଗେ କେତେ ସହନ୍ତି କଷଣ

ତେଜି ଧନ ଜନ, ଅଶନ ବସନ ;

କାରାଗାରେ ବସି ନୀରବେ ଏକାକୀ

ଧ୍ୟାନମଗ୍ନ ଏବେ ମୁଦି ବେନି ଆଖି ।

ମହାତ୍ମା ସାଧନ ମହାତ୍ମା କଷଣ

ନ ଯାଏ ଜଗତେ କେବେ ଅକାରଣ ।

ଅନ୍ୟାୟ ଅଧର୍ମ ପାପ ଅତ୍ୟାଚାର

ମାନେ ଅବଶେଷେ ସତ୍ୟ ପାଖେ ହାର ।

ଏ ବିଶ୍ଵାସେ ସର୍ବେ ଦୃଢ଼ କରି ମନ

ସ୍ଵରାଜ୍ୟ ଧରମ କର ଆଚରଣ ।

ବିଦେଶୀ ଅମେଧ୍ୟ୧୫ ବସ୍ତ୍ର ଛାଡ଼ ଆଗେ

ହାତସୂତା ଲୋଡ଼ା ଏ ସ୍ଵରାଜ୍ୟ-ଜାଗେ ।

ପିନ୍ଧ ଦେଶୀ ଲୁଗା ହେଉ ଅଙ୍ଗ ଶୁଦ୍ଧି,

ମାମଲାରେ ଆଉ ନ ଖେଳାଅ ବୁଦ୍ଧି ।

ଗ୍ରାମେ ପଞ୍ଚ ପରା ପରମ ଈଶ୍ଵର

କର ପୁଣି ଗ୍ରାମେ ସ୍ଥାପନା ତାଙ୍କର ।

ସର୍ବେ ବାନ୍ଧି ମେଳ ତାଙ୍କୁ ମାନି ଚଳ

ପ୍ରକାଶିବ ଗ୍ରାମେ ପୁଣି ନବ ବଳ ।

ନ ଲାଗିବ ମିଥ୍ୟା ଜାଲ ପ୍ରବଞ୍ଚନ,

ନ ଖାଇବେ ଭୂତ ତୁମ ଗ୍ରାମଧନ ।”

“ଗ୍ରାମ ବିଚାରରେ ସକଳେ ସମାନ

ଛାଡ଼ି ମନୁ ବଡ଼ ସାନ ଅଭିମାନ ।

ସ୍ୱରାଜ୍ୟ-ଧରମେ ନାହିଁ ଭେଦ ଜ୍ଞାନ,

ସମସ୍ତେ ଯେ ଏକ ମାତାର ସନ୍ତାନ ।

ଏକା କୋଳେ ଜନ୍ମ ଏକା କୋଳେ ଖେଳ,

ଏକା କୋଳେ ଶଯ୍ୟା ହେଲେ ଶେଷ ବେଳ ।

ଗୃହରେ ଅରଟ, ଗ୍ରାମେ ପଞ୍ଚାୟତ,

ଗ୍ରାମବାସୀଗଣ ମଧ୍ୟେ ଏକମତ,

ସ୍ୱରାଜ୍ୟ-ସାଧନ ଏହି ତିନି ପଦ,

ପାଳିଲେ ଖଣ୍ଡିବ ଉତ୍କଳ-ବିପଦ ।

ଘୁଞ୍ଚିବ ଉତ୍କଳ ଦୁଃଖ ଦରିଦ୍ରତା

ଉଜ୍ଜ୍ଵଳିବ ଗ୍ରାମ, ହସିବେ ଦେବତା ।’’

‘‘କହିଲି କି କେତେ ହୃଦୟ ଆବେଗେ

ଚାଲେ ଏ ଦାରୁଣ ରେଳ କେଡ଼େ ବେଗେ !

ଡେଇଁ ଆସଅଛି ଏବେ ମହାନଦୀ

କଳିରେ ଉତ୍କଳ ପୂତ ବିଷ୍ଣୁପଦୀ ।

ଆଗରେ ଦିଶେ ଏ ଶୈଳ ବିନାୟକ,

ନମେ ପଦେ ପ୍ରଭୁ ବିଘ୍ନବିନାଶକ ।

ଆଦ୍ୟେ ତବ ପୂଜା ଶୁଭ ଅନୁଷ୍ଠାନେ,

ଯାଉଛି ଉତ୍କଳ ଛାଡ଼ି ଦୂର ସ୍ଥାନେ ।

କର କୃପା ମୋର ଶୁଭ ହେଉ ପଥ,

କାରାଗାରେ ମୋର ପୂରୁ ମନୋରଥ ।

ଯାଇଛି ଏ ପଥେ କେତେ ଥର ଆଗେ,

କିପାଇଁ ଚଞ୍ଚଳ ମନ ଆଜି ଲାଗେ ?

ଲାଗେ ଛାଡ଼ିଗଲି କିଛି ଅତି ପ୍ରିୟ,

ଅକୁହା ରହିଲା କିବା ଗୋପନୀୟ ।

କାହାକୁ ଦେଖନ୍ତି ପରା ଆଉ ଥରେ,

ନିଶ୍ଚିତ କିଛି ତ ନ ପଡ଼େ ମନରେ ।

ଜାଣୁଛି ଏ ମୋର ନିଜ ଦୁର୍ବଳତା,

ମାନବହୃଦୟ ସହଜ ମମତା ।

ମମତାର ଆଉ କାହିଁ ଅବକାଶ,

ପ୍ରକାଶିଲେ ହୃଦେ ପରମ ବିଶ୍ୱାସ ?

ମାନବଜୀବନ ନୁହେଁ ମିଥ୍ୟା ଭାଣ

କିବା କୂଟନୀତି କୌଶଳ ପ୍ରଧାନ ।

ଏ ଜୀବନ ସତ୍ୟ ଶୁଦ୍ଧ ସାରତତ୍ତ୍ଵ

ତତ୍ତ୍ଵ ଅନୁବନ୍ଧ ମାନବର ସତ୍ତ୍ଵ ।

ଯା ଜୀବନ-ଗତି ତତ୍ତ୍ଵ-ଅଭିମୁଖୀ,

ସେହି ଅକା କୃତୀ, ସେହି ଏକା ସୁଖୀ ।

ତତ୍ତ୍ଵର ସାଧନେ କୃତକୃତ୍ୟ ଜନ

ଲଭଇ ମରଣେ ଅମୃତ-ଜୀବନ ।

ସତ୍ୟ ସନାତନ ପ୍ରଭୁ ଭଗବାନ

ଏ ଭାବେ କର ମୋ ହୃଦ ବଳୀୟାନ ।

ସ୍ଵରାଜ୍ୟସାଧନେ ରହୁ ମୋର ଧ୍ୟାନ

ଭାରତେ ସ୍ଵରାଜ୍ୟ ଜଗତ-କଲ୍ୟାଣ ।

ଜଗତ-ସରସେ ଭାରତକମଳ,

ତା ମଧ୍ୟେ କେଶର ପୁଣ୍ୟ ନୀଳାଚଳ ।

ଥିଲେ ଯହିଁ ତହିଁ ଭାରତବକ୍ଷରେ

ମଣିବି ମୁଁ ଅଛି ଆପଣା କକ୍ଷରେ ।

ମୋ ନେତ୍ରେ ଭାରତ-ଶିଳା ଶାଳଗ୍ରାମ,

ପ୍ରତି ସ୍ଥାନେ ମୋର ପ୍ରିୟ ପୁରୀଧାମ ।

ସକଳ ସଲିଳ ପଞ୍ଚତୀର୍ଥ ଜଳ,

ପ୍ରତି ଧର୍ମାଳୟ ମୋର ନୀଳାଚଳ ।

ଭାରତେ କୈବଲ୍ୟ ସକଳ ଆହାର,

ଭାରତେ ଶ୍ମଶାନ ସ୍ଵରଗ ଦୁଆର ।

ଶ୍ରୀହରି-ଚନ୍ଦନ ଭାରତ-କର୍ଦ୍ଦମ,

କାରାଗାର ମୋର ସ୍ଵରାଜ୍ୟ ଆଶ୍ରମ ।

ଭାରତର ପ୍ରତି ବୃକ୍ଷ କଳ୍ପବଟ

ପ୍ରଭୁ ଜଗନ୍ନାଥ ସର୍ବତ୍ର ପ୍ରକଟ ।

ସାମ୍ୟ ସ୍ୱାଧୀନତା ପ୍ରେମ ସମୁଦୟ

ନୀଳାଚଳ ଶୁଦ୍ଧ ଭାରତ-ହୃଦୟ ।

ଥିଲେ ଯହିଁ ତହିଁ ଭାରତ-ଶୟଳେ,

ମଣିବି ମୁଁ ଅଛି ନୀଳଚକ୍ର ତଳେ ।

ପ୍ରଭୁ ଜଗନ୍ନାଥ ପତିତପାବନ !

ଜୀବନେ ମରଣେ ତୁମ୍ଭେ ମୋ ଶରଣ ।”

Image

 

(୬)

 

“ପହଞ୍ଚିଛି ରେଳ ଜେନାପୁରେ ଆସି,

ପରିଚିତ ମୋର ଜେନାପୁରବାସୀ ।

ଆସିଥିଲି ଥରେ ଦୁଇ ବର୍ଷ ତଳେ

ବୁଡ଼ିଥିଲା ଜେନାପୁର ଯେବେ ଜଳେ ।

କେତେ ଗ୍ରାମ, କେତେ ଘର, କେତେ ଧନ

ହୋଇଥିଲା ବନ୍ୟା-ବିତ୍ପାତେ ଉଚ୍ଛନ୍ନ ।

କେତେ ଗ୍ରାମଦାଣ୍ଡେ ଚାଲୁଥିଲା ସୁଅ,

କେତେ ନୟନରୁ ବହୁଥିଲା ଲୁହ ।

କେତେ ନରନାରୀ, କେତେ ଗୋରୁଗାଈ

ମରୁଥିଲେ କଷ୍ଟେ ଆହାର ନ ପାଇ ।

ପଡ଼ିଗଲେ ମନେ ସେ ବେଳ ଘାତଣା

ହୃଦେ ହୁଏ ଏବେ ଦାରୁଣ ବେଦନା ।

ବନ୍ୟା ବିତିପତେ ଉତ୍କଳ-ଦୁର୍ଦ୍ଦଶା

ବିଚାରିଲେ ମତି ହୁଅଇ ବିବଶା ;

ଚିଲିକାକୂଳରୁ ସ୍ୱର୍ଣ୍ଣରେଖା ଯାଏ

ମୁହୂର୍ତ୍ତକେ ମୋର ଆଖି ବୁଲିଯାଏ ।

ଯେତେ ସ୍ଥାନେ ଯେତେ ଲୋକଙ୍କ କଷଣ

ଦେଖିଛି ପଲକେ ହୁଅଇ ସ୍ମରଣ ।

ଦୁର୍ଭିକ୍ଷ ବନ୍ୟାର ଚିର ସହଚର,

ଏକ ପଛେ ଅନ୍ୟ ଆସେ ନିରନ୍ତର ।

ସହି ସହି ବନ୍ୟା-ଦୁର୍ଭିକ୍ଷ-ପ୍ରହାର

ଉତ୍କଳର କେତେ ପଲ୍ଲୀ ଛାରଖାର ।

କେତେ ଗ୍ରାମ ଶୂନ୍ୟ, କେତେ ଘର ଖାଲି,

କେତେ ଶସ୍ୟକ୍ଷେତ୍ରେ ପୂରିଅଛି ବାଲି ;

ନିରାଶା ଆତଙ୍କେ ପ୍ରଜା ଅବସନ୍ନ,

ମରୁଛନ୍ତି କେତେ ନ ପାଇଣ ଅନ୍ନ ।

ପଡ଼େ ମନେ ମୋର ଯେବେ ସିନ୍ଧୁକୂଳେ

ନୀଳାଚଳେ ଗାନ୍ଧି ଥିଲେ ପତ୍ନୀ ତୁଲେ ।

ଦେଖି ଉତ୍କଳର ଦିର୍ଭିକ୍ଷ ଆଭାସ

ପାଇଥିଲେ ହୃଦେ ଗୁରୁତର ପ୍ରାସ ।

କେତେ ନରନାରୀ ବୃଦ୍ଧ ଯୁବା ବାଳ,

ଅନାହାରେ ଯେହୁ କେବଳ କଙ୍କାଳ

ଦେଖିଣ ମହାତ୍ମା କାତର ଅନ୍ତରେ

କହିଥିଲେ ମତେ ଦୁଃଖେ ଏକାନ୍ତରେ-

‘ଦେଖି ଏ ଦାରୁଣ ଦୃଶ୍ୟ ହୁଏ ମନ

ଅନଶନେ ଆଜି ତେଜନ୍ତି ଜୀବନ ।

ବଞ୍ଚିବାରୁ ବଳି ଦେଖି ଏ କଷଣ

ଶତ ଗୁଣ ଶ୍ରେୟ ମଣେ ମୁଁ ମରଣ ।

ମାତ୍ର ମୋ ପରାଣେ ରହିଛି ଭରସା,

ଅଚିରେ ଦେଶର ଘୁଞ୍ଛିବ ଏ ଦଶା ।

ଏସବୁ ଯାତନା ନର କର୍ମଫଳ

ହୋଇଛି ଏ ଦେଶେ ପାତକ ପ୍ରବଳ ।

ଦେଶବାସୀଙ୍କର ହେଲେ ଆତ୍ମଶୁଦ୍ଧି

ସତ୍ୟେ ଅନୁରାଗ ଧର୍ମେ ଦିବ୍ୟ ବୁଦ୍ଧି,

ମେଣ୍ଟିବ ଦୁର୍ଗତି ଦୁଃଖ ଯିବ କ୍ଷୟ,

ଆସିବ ସୁଦିନ ହେବ ସୁଖୋଦୟ ।’

ଛାଡ଼ିବାକୁ ଗାଡ଼ି ଦେଲାଣି ସଙ୍କେତ,

ବାଜେ ଶେଷ ଘଣ୍ଟା, ଉଡ଼େ ନୀଳକେତ ।

ସୁବିଧା ଥିଲେ ମୁଁ ଓହ୍ଲାନ୍ତି ଏଠାରେ,

ଦେଖିଯାନ୍ତି ଜେନାପୁର ଏବେ ବାରେ ।

ବୁଲି ବ୍ରାହ୍ମଣୀର ତୀରଜନପଦେ,

ବିଦାୟ ନିଅନ୍ତି କହି ପଦେ ପଦେ ।

ଦେଖନ୍ତି କିପରି ଅଛନ୍ତି ମୋ ଭାଇ,

ଦଇବୀ ମାନୁଷୀ ଦାଉ ଧକ୍‌କା ଖାଇ ।

ବ୍ରାହ୍ମଣୀ ବାଲିରେ ସାନ୍ଧ୍ୟ ସମ୍ମିଳନେ

କହି ଯାଇଥାନ୍ତି ଥିଲା ଯାହା ମନେ ।

ଚାଲିଲା ପରା ଏ ନିଦାରୁଣ ଗାଡ଼ି,

ଜେନାପୁର ସତେ ଅଇଲି କି ଛାଡ଼ି ?

ଏହି ଯେ ପଡ଼ିଲା ଜେନାପୁର ସେତୁ

ବ୍ରାହ୍ମଣୀ ବିଶାଳ ବକ୍ଷେ ଧୂମକେତୁ ।

ଥାଅ ଗୋ ବ୍ରାହ୍ମଣୀ ପୀନପୟୋଧରା!

ହେଉ ତୁମ୍ଭ ଯୋଗେ ଉତ୍କଳ ଉର୍ବରା,

ଖରସ୍ରୋତା ସଙ୍ଗେ କରି ତୁ ମନ୍ତ୍ରଣା

ତଟବାସୀ ଜନେ ନ ଦିଅ ଯନ୍ତ୍ରଣା ।

କେନ୍ଦ୍ରାପଡ଼ା, ଯାଜପୁର ପ୍ରଜାକୁଳ,

କର ନାହିଁ ବନ୍ୟା ଉତ୍ପାତେ ବ୍ୟାକୁଳ ।

ସେ ଭାଇ ସକଳ ମୋର ପ୍ରିୟତମ,

ତାଙ୍କ ସେବା ମୋର ଜୀବନେ ପ୍ରଥମ ।

ଖରସ୍ରୋତା ତୁମ୍ଭ ଚିର ସହଚରୀ

ମାଗୁଛି ବେନିଙ୍କୁ ନମସ୍କାର କରି-

ତରଙ୍ଗ-ହିଲ୍ଲୋଳେ କଳ କଳ ତାନେ

ନିଅ ମୋ ସନ୍ଦେଶ ସେ ଭାଇଙ୍କ କାନେ ।

ଗ୍ରାମୁଁ ଗ୍ରାମାନ୍ତରେ ପବନଲହରେ

ଉତ୍କଳେ ଏ ବାର୍ତ୍ତା ଖେଳୁ ଘରେ ଘରେ ।

ଥାଅ ଯାଜପୁର କେନ୍ଦ୍ରାପଡ଼ା ଭାଇ,

ଦେଖାହେବ କେବେ ଲେଉଟିଲେ ଯାଇ ।

ବନ୍ୟାରୁ ବରତି ନ ପାଇ ଶକତି

ଜାଣେ ମୁଁ ଭେଟିଛ ବିଷମ ବିପତ୍ତି ।

କାରାଗାରେ ମୋତେ ପଡ଼ୋଶୀ ତୁମର

ଦେଇଛନ୍ତି ଅଗ୍ନି ଉତ୍ପାତ ଖବର ।

କେ ପୋଡ଼ିଲା ଘର, କେ ସହେ ଗଞ୍ଜଣା

ଏ ବିଚିତ୍ର ରାଜେ ଅନ୍ଧ ବୁଝାମଣା ।

ହେଲା ଗୃହଦାହ ସଙ୍ଗେ ଅର୍ଥନାଶ,

ପରେ ପ୍ରଣପୀଡ଼ା ପୁଣି କାରାବାସ ।

ବାସେ ଅଗ୍ନି ଯେହୁ ଦେଲା ଆତତାୟୀ

ତାର ଖୋଜା ନାହିଁ, ଗଲା ସେ ବା କାହିଁ ?

ଆହା ଉତ୍କଳର କେତେ ଗ୍ରାମେ ଲୋକ,

ନିରାଶ୍ରୟେ ଆଜି କରୁଛନ୍ତି ଶୋକ !

କାହା ଗୃହ ଭସ୍ମ, କାହା ଚାଷ ନଷ୍ଟ,

କାହା ପୁଅ ଭୋଗେ କାରାଗାରେ କଷ୍ଟ !

ଏଥିଲାଗି ଭାଇ ନ କର ଭାବନା

ଏ ତ ବିନା ମେଘେ କୁଳିଶ ସୃଜନା ।

ନାହିଁ ନିଜ ଦୋଷ ଯେବେ ଭଲେ ଜାଣ

ଜାଣ କିପାଁ କାହିଁ ହେଲା ଏ ଭିଆଣ,

ନ କର ଶୋଚନା ରଖ ଧର୍ମେ ସାକ୍ଷୀ,

ଗୂଢ଼ ବ୍ୟୂହ ଭେଦେ ସେ ଅଦୃଶ୍ୟ ଆଖି ।

ବିହିଲା ତୁମ୍ଭର ଯେହୁ ଏ ବିପତ୍ତି

ଜାଣ ସେ ପାପୀର ନାହିଁ ଭଲ ଗତି ।

ନିଜ କଲା କର୍ମ ଭୋଗେ ନିଜେ ନର

ଏଡ଼ି ନ ପାରେ ତା ବ୍ରହ୍ମା ହରିହର ।

ଧର୍ମ-ନିକିତିରେ ହୁଏ ଯେ ତଉଲ

ପରମାଣୁ ତହିଁ ଯାଏ ନାହିଁ ଭୁଲ ।

ଇତର ଜନର କଥା କିବା ଛାର,

କେତେ ଜାତି କେତେ ବ୍ୟକ୍ତି ବଳିଆର ;

ନିଜ କର୍ମଦୋଷେ ଯାଇଛନ୍ତି ନାଶ,

ପ୍ରମାଣ ତହିଁର ଶାସ୍ତ୍ର ଇତିହାସ ।

ଜତୁଗୃହ ଜାଳି ମାନୀ ଦୁର୍ଯ୍ୟୋଧନ,

ଜାଣିଛ ଲଭିଲା କିପରି ନିଧନ ।

ନ ନେଲା ସେ କଂସ କେତେ ଶିଶୁପ୍ରାଣ,

କହ କେତେ ଦିନ ରହିଲା ତା ଟାଣ ?

ପଶ୍ଚିମ-ରାଇଜେ ହେରଡ଼ ନୃପତି

ଥିଲା କଂସ ସମ ଦୁରାତ୍ମା ଦୁର୍ମତି ।

ପ୍ରଭୁ ଯିଶୁ ପ୍ରତି ମନେ ବହି ରୋଷ,

ଶିଶୁହତ୍ୟା ଆଦି କଲା ନାନା ଦୋଷ ।

ଥିଲା ସେହିପରି ମିଶରେ ଫେରସ,

ଗଲେ ଏ ସକଳେ ଯଥାକାଳେ ଧ୍ୱଂସ ।

ଶାସ୍ତ୍ର-ପୁରାଣର ବୁଝି ଏ ଚରିତ

ନ କର ବିପଦେ ଚିତ୍ତ ବିଚଳିତ ।

ମନେରଖ ଭାଇ ମହାତ୍ମା ଭାଷଣ,

ଆମ ପାପଫଳେ ଆମର କଷଣ ।

ହେଲେ ଆତ୍ମଶୁଦ୍ଧି ସୁନିର୍ମଳ ମତି,

ପ୍ରକାଶିବ ତେଜ ସମ୍ପଦ ଶକତି ।

ଏ ବିଶ୍ୱାସ ସଦା ହୃଦେ ଦୃଢ଼େ ଧର,

ଗୃହଦାହ ଯୋଗୁଁ ଛାଡ଼ ବୃଥା ଡର ।

ବିପଦ ପ୍ରଭୁଙ୍କ କଷଟି-ପାଷାଣ,

ପରଖନ୍ତି ତହିଁ ନରହୃଦଟାଣ ।

ବିଦଗଧ ହେଲେ ବିପଦ-ଅନଳେ

ଭସ୍ମ ନୋହି ଯେହୁ ଦାଉ ଦାଉ ଜଳେ,

ସେହି ଏକା ଶୁଦ୍ଧ ସୁବର୍ଣ୍ଣ-ହୃଦୟ ;

ଲଭେ ଆଶ୍ଵାସନା ଅଭୟ ବିଜୟ ।

ହେଲା ଗୃହେ ଯେଉଁ ଅଗ୍ନି ପ୍ରଜ୍ଜ୍ଵଳିତ

ନୁହେଁ ବୃଥା ତାହା, ବିଧାତା ଇଙ୍ଗିତ ।

ବୁଝିଲେ ଦେଖିବ ତହିଁ ଗୂଢ଼ ତତ୍ତ୍ଵ

ଜାଳ ହୃଦେ ଅଗ୍ନି ଶୁଦ୍ଧ କର ସତ୍ତ୍ଵ ।

ବାସୁଁ ଲିଭିଅଛି ବାହ୍ୟ ହୁତାଶନ,

ଅନ୍ତରେ ଅନଳ ଜଳୁ ଅନୁକ୍ଷଣ ।

ସତ୍ୟ-ବହ୍ନି ବର୍ଚ୍ଚେ ତହୁ ମଳିନତା,

ପରକାଶୁ ନର-ପରାଣେ ଦେବତା ।

ହେଉ ଗୃହ ନାଶ ଅବା କାରାବାସ,

ଯାଉ ପଛେ ପ୍ରାଣ ନ ଯାଉ ବିଶ୍ୱାସ ।

ସତ୍ୟ-ଶାନ୍ତି-ପଥେ ଚାଲ ଅବିରତ,

ଗ୍ରାମେ ଗ୍ରାମେ ସର୍ବେ କର ପଞ୍ଚାୟତ ।

ଚଳାଅ ଅରଟ ଛାଡ଼ି ମନୁ ଭୀତି

ତେଜ ଉଚ୍ଚ ନୀଚ ଘୃଣା ଭେଦ-ନୀତି ।

ଚୋରି ନାରୀ ନିଶା ଆଦି ଦୁରାଚାର,

ନ କରୁଁ ଦୂଷିତ ଗ୍ରାମ ପରିବାର ।

ଏ ଆଚାରେ ହେବ ଜଗତ ମଙ୍ଗଳ,

ଯଥା କାଳେ ମେଘ ବରଷିବ ଜଳ ।

ଧନ ଧାନ୍ୟେ ସୁଖୀ ହେବ ପ୍ରଜାଗଣ,

ନ ଦେଖ କି ଭାଇ ଏ ଶୁଭ ସୂଚନା ?

ଦେବଦୂତ ରୂପେ ପ୍ରଚରି ସନ୍ଦେଶ,

କରନ୍ତି ମହାତ୍ମା ନିଜ କାର୍ଯ୍ୟ ଶେଷ ।

ହେ ଉତ୍କଳବାସି, ସେ ସନ୍ଦେଶମାନ,

କର୍ମେ ଲାଗ ସଦା ହୋଇ ସାବଧାନ ।

ଚାଲ ଏହି ପଥେ ମିଳିବ ମୁକତି

ଘେନ ମୋର ଏହି ବିଦାୟ ବିନତି ।

ହୋଇଅଛି ଏବେ ଦିବା ଅବସାନ,

ଭଦରଖେ ଆସି ପହଞ୍ଚିଛି ଯାନ ।

ଭଦରଖ ମୋର ଅତି ପ୍ରିୟସ୍ଥାନ,

ଏଠା କର୍ମେ ମୋର ପହିଲି ସମ୍ମାନ ।

ଏଠା ବାହାଦୂର ବଡ଼ ପରଚଣ୍ଡ,

ତାଙ୍କ ଦୟାରେ ମୋ ଆଦ୍ୟ କାରାଦଣ୍ଡ ।

ସାନ ବଡ଼ କେତେ କର୍ମୀ ନିଷ୍ଠାପର,

ଦେଖିଲେଣି କେତେ ଥର ମାମୁଁଘର ।

ତଥାପି ସ୍ଵରାଜ୍ୟ ଯୋଗ ନୁହେଁ ଊଣା,

ବଢ଼ଇ କର୍ମୀଙ୍କ ବଳ ଚତୁର୍ଗୁଣା ।

ପଡ଼ିଲେ ସମିଧ ଆହୁତି ଅନଳେ

ନ ଲିଭି ସେ ପୁଣି ଦାଉ ଦାଉ ଜଳେ ।

ପଦାଘାତ କେହି କଲେ ନାଗ-ଚୂଳେ,

ନାଗ କି ପଳାଏ ପରାଣ ଆକୁଳେ ?

ଭଦରଖ କର୍ମୀ ଧନ୍ୟ ତୁମ୍ଭ ବଳ!

ଏପରି ସାଧକ ଲୋଡ଼ଇ ଉତ୍କଳ ।

ତେଜି ସବୁ ମାୟା ପରିବାର ଭୋଗ,

ସାଳନ୍ଦୀ-ପୁଳିନେ ଆରମ୍ଭିଛ ଯୋଗ ।

'ମନ୍ତ୍ର ସିଦ୍ଧି କିମ୍ବା ଶରୀର ପାତନ'

ଜାଣେ ମୁଁ କରିଛ ଏହି ମହାପଣ ।

ଏହି ପଣ ଏକା ଭଦ୍ରଖ ଉଚିତ

ସାଧୁ ସମାଗମେ ଯା ରେଣୁ ପବିତ୍ର ।

ନୀଳାଚଳ ଯାତ୍ରୀ ପ୍ରେମିକ ନିମାଇଁ

ଥିଲେ ପରା ଏଥି କେତେ ଦିନ ପାଇଁ ।

ସେ ଶୁଭଦିନର ପୁଣ୍ୟ ନିଦର୍ଶନ

ରଖିଛି ଭଦ୍ରଖ କରି ଗଣ୍ଠିଧନ ।

ଏବେ ପୁଣି ହେଲେ ଗାନ୍ଧୀ ମହାମତି

ଭଦ୍ରଖ ଅତିଥି ଅହିଂସା ମୂରତି ।

ଭଦରଖବାସୀ ହିନ୍ଦୁ ମୁସଲମାନ

ଏ ଆତିଥ୍ୟ ନୁହେଁ ସାମାନ୍ୟ ସମ୍ମାନ ।

ଉତ୍ତର କାଳକୁ ପୁଅ ନାତି ପାଇଁ

ଏ ସୌଭାଗ୍ୟସ୍ମୃତି ରଖିବ ତ ଭାଇ ?

ଛାଡ଼ ତେବେ ମନୁଁ ଭେଦ ଅଭିମାନ,

ବେଦ କୋରାନରେ କର ସମଜ୍ଞାନ ।

ହିନ୍ଦୁ ମୁସଲମାନ ବୌଦ୍ଧ ଖ୍ରୀଷ୍ଟିଆନ

ଶିଖ ଜୈନ ଯେତେ ଭାରତ-ସନ୍ତାନ ।

ଯେତେ ଧର୍ମ, ଯେତେ ବର୍ଣ୍ଣ-ଜାତି-କୁଳ

ଭାରତ-ଜନନୀ ସମସ୍ତଙ୍କ ମୂଳ ।

ଏକ ଆଶା ଏକ ଲକ୍ଷ୍ୟ ଏକ ଧ୍ୟାନ,

ଏକତ୍ର ଅନ୍ତୁଡ଼ି ଏକତ୍ର ଶ୍ମଶାନ ।

ଏକ କର୍ମଖେଳ, ଏକ ମାତୃପଦେ

କର ଏକପ୍ରାଣ ସମ୍ପଦେ ବିପଦେ ।

ଏକତା ମନ୍ତ୍ରରେ ରଖ ସଦା ମତି

ହେବ ଏହି ଭାବେ ସ୍ଵରାଜ୍ୟ ପ୍ରାପତି ।

ଭଦରଖ ଭାଇ ହିନ୍ଦୁ ମୁସଲମାନ

ଜାଣେ ମୁଁ ଧରିଛ ହୃଦେ ବଡ଼ ଟାଣ ।

କେତେ ପ୍ରଲୋଭନ, କେତେ ପ୍ରରୋଚନା,

କେତେ ବାଧାବିଘ୍ନ, କେତେ ଭୟମନା,

ଏଡ଼ିଅଛ ସବୁ ନିର୍ଭୀକ ଅନ୍ତରେ,

ଚାଲିଅଛ ଦମ୍ଭେ ସ୍ଵରାଜ-ପଥରେ ।

ରଖ ଏହି ଦମ୍ଭ ହୁଡ଼ ନାହିଁ ରାହା,

ହୁଅନ୍ତୁ ବିପଦେ ପ୍ରଭୁ ତୁମ୍ଭ ସାହା ।

ଭଦରଖବାସି, ଆଉ ଏକ କଥା

ପଡ଼େ ଏବେ ମନେ ଦିଏ ମର୍ମବ୍ୟଥା ।

ଯେତେ କାଳ ମୋର ଥିବ ଭବେ ଆୟୁ,

ବହୁଥିବ ଯେତେଦିନ ପ୍ରାଣବାୟୁ ;

ଥାଏଁ ଯହିଁ ତହିଁ ଦୂରେ ବା ନିକଟେ,

ରହିବ ସେ ଦୁଃଖ-ଦାଗ ଚିତ୍ତପଟେ ।

ଦୁଃଖିନୀ କନିକା କରୁଣ କୁହାଟ୩୧

ଲାଗେ ଯେହ୍ନେ ଭେଦି ବିଲ ବନ ପାଟ,

ସାଳନ୍ଦୀ ସଲିଳେ ପ୍ରତିଧ୍ଵନି ତାନେ

କୁଳିଶ ନିନାଦ ବାଜଇ ମୋ କାନେ ।

ଭଦ୍ରଖ କନିକା ଚିର ପ୍ରତିବେଶୀ

କନିକା ଦୁଃଖ କି କହିବି ବିଶେଷି ।

ଜାଣିଛ, ଶୁଣିଛ ସବୁ ବିତିପାତ,

ପଡ଼ୋଶୀ ସେନେହେ ସହିଛ ଆଘାତ ।

ତ୍ରାସିତ କନିକା ପ୍ରଜା ପ୍ରତି ସଦା

ରଖିଥିବ ଭାଇ ସୋଦର-ଶରଧା ।

କନିକା ଯିବାକୁ ବାଟ ଭଦରଖ,

ଥାନ୍ତା ଯେବେ ମୋର ବିହଙ୍ଗମ ପକ୍ଷ,

ଉଡ଼ିଯାଇ ଦେଖି ଆସିଥାନ୍ତି ଥରେ

କନିକା ପ୍ରଜାଙ୍କୁ ରିକ୍ତ ଭଙ୍ଗା ଘରେ ।

ଆଉଁସି ପିଠିରୁ ପ୍ରହାର-ପରାସ

ହରି ପାଇଥାନ୍ତି ପରାଣେ ଆଶ୍ଵାସ ।

ପତରପୁରର ଶର ସନ୍ନିଧାନେ

ମଲେ ପ୍ରଜା ବେନି ଯହିଁ ଅଗ୍ନିବାଣେ ;

ନିରୀହ ନିର୍ଦ୍ଦୋଷ ପବିତ୍ର ଶୋଣିତ

କରିଛି କନିକାଭୂମି ଯହିଁ ସିକ୍ତ ;

ସେ ଶୁଦ୍ଧ ମୃତ୍ତିକା ଲଗାଇ ମୁଁ ଶିରେ,

ତେଜି ନେତ୍ରନୀର ସରୋବର ତୀରେ,

ଲଭିଥାନ୍ତି ଥରେ ଅନ୍ତରେ ସାନ୍ତ୍ଵନା,

ଅପୂର୍ଣ୍ଣ ରହିଲା ଆହା ଏ ବାସନା!

ଲୋଡ଼ିଥିଲେ କେତେ ଥର ମୋ ଆଗମ,

ଆସି ନ ପାରିଲି କେବେ ମୁଁ ଅଧମ ।

ଯାଇଥିଲି ଥରେ ରାଜ ଆମନ୍ତ୍ରଣେ,

ମରୁଥିଲେ ଲୋକେ ଯେବେ ଅନଶନେ ।

ଆସିଥିଲେ ଯଥାକାଳେ ଆଉ ବାରେ

ପଡ଼ି ନ ଥାନ୍ତେ ବା ପ୍ରଜା ଅତ୍ୟାଚାରେ ।

ରହିଛି ମନେ ଏ ଚିର ଅବଶୋଷ,

ବିଦା ହୋଇଥାନ୍ତି ମାଗି ନିଜ ଦୋଷ ।

ଏହି ଯେ କନିକା, ଆସିଛି ମୁଁ ଉଡ଼ି,

କି ଦାରୁଣ ଦୃଶ୍ୟ! ଯାଏ ଚେତା ବୁଡ଼ି ।

ଯମଦୂତ ପ୍ରାୟେ କ୍ରୂର ରାଜଥାଟ,

ବୁଲନ୍ତି ଚୌଦିଗେ ଗ୍ରାମ ହାଟ ବାଟ ।

ଲୁଟନ୍ତି ପରଜା ଘର ବାଡ଼ିଖେତ,

ମାରନ୍ତି ଚାପୁଡ଼ା କାହାକୁ ବା ବେତ ;

କୁଳାଙ୍ଗନା ପରେ ଘୋର ଆକ୍ରମଣ

ବିକଳେ ବିଧୁରା୩୩ କରଇ ରୋଦନ ।

କନିକାର ରାଜଧାନୀ ଚଉପାଶେ

ପ୍ରେତ ଆତ୍ମା ବେନି ଉଡ଼ଇ ଆକାଶେ ।

ବିନ୍ଦୁ ବିନ୍ଦୁ ରକ୍ତ ପଡ଼େ ତହୁଁ ତଳେ,

ସେ ରକ୍ତୁ ଭୀଷଣ ଅଗ୍ନିଶିଖା ଜଳେ ।

ସିଞ୍ଚି ସିଞ୍ଚି ଶୁଖେ ଗଞ୍ଜାନଦୀ ଜଳ,

ନ ଲିଭି ପ୍ରବଳ ଜଳେ ସେ ଅନଳ ।

ଶୁଭେ ଚଉଦିଗେ କାତର ଚିତ୍କାର,

ପଳାଏ ପରଜା ଛାଡ଼ି ଘରଦ୍ଵାର ।

ପଥେ ଗର୍ଭିଣୀର ଭୟେ ଗର୍ଭସ୍ରାବ,

ଉଠଇ ଗୋଗୋଷ୍ଠେ ବିକଟାଳ ରାବ ।

ମହା ବିପର୍ଯ୍ୟୟ, ମହା ବିଭୀଷିକା,

କମ୍ପେ ମହାତଙ୍କେ ଦୁଃଖିନୀ କନିକା ।

ବହେ ଅଣଚାଶ ଝଡ଼ ଝଞ୍ଜା ବାତ,

ଏ କି ମୋ ଭୟଙ୍କର ଅଦ୍ଭୁତ ଉତ୍ପାତ ।

ଏ କି ମୋ କଳ୍ପନା-ସତ୍ୟ ନା ସ୍ଵପନ ?

ବାଜେ ରେଳଘଣ୍ଟି, ଆସିଲା ଚେତନ ।

ଆଉ ଏକ ଘଣ୍ଟା ଛାଡ଼ିଦେବ ରେଳ,

ଭଦରଖେ ପୂରି ଆସିଲା ମୋ ବେଳ ।

ଥାଅ ଗୋ ସାଳନ୍ଦି! ଥାଅ ଭଦରଖ,

ଦୁଃଖିନୀ କନିକାଠାରେ ସ୍ନେହ ରଖ ।

ଥାଅ ଗୋ କନିକା! ଭୋଗି ଭାଗ୍ୟ-ଲେଖା,

ବଞ୍ଚିଥିଲେ ପୁଣି ହେବ କେବେ ଦେଖା ।

ନ ତେଜ ସାହସ, ନିରାଶ ନ ହୁଅ,

ବହିଛି ନୟନୁ ତୋର ବହୁ ଲୁହ ।

ତୋର ଶତ ଶତ ନିରୀହ ସନ୍ତାନ,

ସହିଛନ୍ତି କାରାକ୍ଲେଶ ଅପମାନ ।

ସହି ଏତେ କଷ୍ଟ ମନେ ନାହିଁ ଦ୍ଵେଷ,

ନାହିଁ ହୃଦେ ହିଂସା ରୋଷ ସମାବେଶ ।

ମଲେ କିନ୍ତୁ ହାତ ନାହାନ୍ତି ଉଠାଇ,

କର୍ମ କରିଛନ୍ତି ଧର୍ମ ଅନୁଯାୟୀ ।

ଭୋଗିଛୁ ପରାଣେ ପୀଡ଼ା ଆୟେ କ୍ଷତି,

ଜାଗିଅଛି କିନ୍ତୁ ପରଜା ଶକତି ।

ହେଉ ପଛେ ହେବ ଆଉ ଯେ ଯାତନା,

ସତ୍ୟେ ଚଳି କର ସତ୍ୟର ସାଧନା ;

ସତ୍ୟେ ମାନବର ସତ୍ଵ ପରକାଶେ

ଭୀମ ରାଜଶକ୍ତି ନାଶେ ସତ୍ୟ ପାଶେ ।

ଭୋଗି ଯେବେ ପ୍ରଜା ଘୋର ଅତ୍ୟାଚାର,

ଆତୁରେ କରଇ କରୁଣ ଚିତ୍କାର,

ନୀରବେ ଗଡ଼ାଏ ନୟନୁ ଲୋତକ,

ହୁଏ ଭୟେ ତାର ଛାତି ଦକ ଦକ,

ନିରାଶ ହୃଦୟ ବହେ ଦୀର୍ଘଶ୍ୱାସ,

ହେ କନିକାବାସି! ରଖ ଏ ବିଶ୍ୱାସ,

ସେ ଉଷ୍ଣ ନିଶ୍ୱାସ ଅଶ୍ରୁ ବିସର୍ଜନ,

ସେ ଦାରୁଣ ନାଦ ପ୍ରାଣ ପ୍ରକମ୍ପନ,

ନୁହେଁ ନିରର୍ଥକ, ନ ଯାଏ ବିଫଳ,

ହୁଏ ସେ ଲୋତକେ ହିମାଚଳ ଜଳ ।

ସେ ନାଦେ କମ୍ପଇ ସ୍ୱର୍ଗସିଂହାସନ,

ଶୀତଳ ସେ ଉଷ୍ଣ ଶ୍ୱାସେ ହୁତାଶନ ।

ସେ ପ୍ରାଣ ପ୍ରକମ୍ପେ କମ୍ପେ ବସୁମତୀ ;

କାଳେ ପ୍ରକଟଇ ଏ ଭୀମ ଶକତି ।

ପ୍ରପୀଡ଼ିତ ପ୍ରଜା ହୃଦୟ ନିଃସାର,

ସଞ୍ଚେ ସାବଧାନେ କାଳ ବଳିୟାର ।

ଅଲକ୍ଷିତେ କରେ ଶକ୍ତି ଆୟୋଜନ,

ନ ଦେଖଇ ଯାହା ଅତ୍ୟାଚାରୀ ଜନ ;

ଆସେ ଯେବେ ବେଳପାଚେ କର୍ମଫଳ,

ସହସା ସେ ବଳେ କମ୍ପେ ଜଳ ସ୍ଥଳ ।

ଦୁଃଖିନୀ କନିକା ନ ହୁଏ ଆତୁର,

ହେଉ ନିର୍ଯ୍ୟାତନ ଧନଦ୍ରବ୍ୟ ଜୁର ।

ଧର୍ମପକ୍ଷେ ଜୟ ସଦା ସୁନିଶ୍ଚୟ,

ରଖ ହୃଦୟରେ ଏ ଦୃଢ଼ ପ୍ରତ୍ୟୟ ।

ପାହି ଆସିଅଛି ତୋର ଦୁଃଖ-ରାତି,

ରଖ ନିଜ ଦାବୀ ଦମ୍ଭ କର ଛାତି ।

ନିଜ ଅଧିକାର ବୁଝି ଛାଡ଼ି ଭୟ,

ଧେର୍ଯ୍ୟ ଧର, ହେବ ନ୍ୟାୟଯୁଦ୍ଧେ ଜୟ ।

ପାଇବେ ତୋ ପୁଏ ନ୍ୟାୟ ଅଧିକାର,

ଘୁଞ୍ଚିବ ଉତ୍କଟ ଚିର ଅତ୍ୟାଚାର ।

ତୋ ଆଦର୍ଶ ହେଉ ଉତ୍କଳେ ଅକ୍ଷୟ,

ଜାଗୁ ପ୍ରଜାକୁଳ ତୁଟୁ ରାଜଭୟ ।

ମୋ ଶୁଭ କାମନା, ସ୍ନେହ ନେତ୍ରଜଳ

ଘେନ, ଏଥି ମୋର ଏତିକି ସମ୍ବଳ ।

ଥାଅ ମା ସାଳନ୍ଦୀତଟ-ବିହାରିଣୀ

ଜୟ ଭଦ୍ରକାଳୀ ସଙ୍କଟତାରିଣୀ !

କରେ ଏହି ଦୂରୁ ଚରଣେ ପ୍ରଣତି,

ଦିଅ ମୋ ହୃଦୟେ ସାହସ ଶକତି ।

ମୋ ସାଧନା ପୁଣ୍ୟ ପୀଠ ହେଉ କାରା,

ମୋ ପ୍ରାଣ ପ୍ରତିଷ୍ଠା କର ତହିଁ ତାରା ।

କର ମା କରୁଣା ଭଦରଖ ପ୍ରତି,

ଭଦରଖବାସୀ ତୋ ଶିଶୁ ସନ୍ତତି ।

ହୁଅନ୍ତୁ ବଳିଷ୍ଠ କର୍ମଠ ସାହସୀ,

ଗଲେ ଯାଉ ପ୍ରାଣ ବାଜୁ ବୁକେ ଅସି ।

ନ ଫେରନ୍ତୁ କେବେ ପଛକୁ କାତରେ,

ସ୍ୱରାଜ୍ୟର ଶାନ୍ତି-ସଂଗ୍ରାମ ପ୍ରାନ୍ତରେ ।

କେତେ କି ଭାବନା ଜାଗେ ମୋ ଅନ୍ତରେ,

ଜଣାଇବି କିବା ଏବେ ତରତରେ ।

ଥିଲେ ମୋର ବଳ ଓହ୍ଲାଇ ଏ କ୍ଷଣେ

କହିଥାନ୍ତି ସବୁ ଶ୍ରୀପଦ ଦର୍ଶନେ ।

ମାତ ଜଗଦମ୍ବା କୁଳକୁଣ୍ଡଳିନୀ

ଅଗୋଚର ତୋର କିବା ଗୋ ଭାବିନି !

ପ୍ରପୀଡ଼ନେ ପ୍ରଜା କରେ ହା ହା ନାଦ,

ମିଳି ନାହିଁ କି ମା, ତୋତେ ଏ ସମ୍ବାଦ ?

ଉନ୍ମୁକ୍ତ ପବନେ ଉନ୍ମୁକ୍ତ ଅମ୍ବରେ

ସ୍ୱଚ୍ଛନ୍ଦ ପରାଣେ ବିହଙ୍ଗ ସଞ୍ଚରେ ।

ବନେ କରେ ପଶୁ ସ୍ୱଚ୍ଛନ୍ଦେ ବିହାର,

ନିର୍ଭୀକ ସେ, ନୁହେଁ ଅଧୀନ କାହାର ।

ତିମି ତିମିଙ୍ଗିଳ ମତ୍ସ୍ୟ ଜଳଚର

ଖେଳନ୍ତି ସଲିଳେ ନ ଜାଣନ୍ତି ଡର ।

ଭାରତେ କେବଳ ନର ତହୁଁ ହୀନ,

ନୁହେଁ ସେ ସ୍ୱଚ୍ଛନ୍ଦ, ନୁହେଁ ସେ ସ୍ୱାଧୀନ ।

ନାହିଁ ରବିତଳେ କାହିଁ ତାର ସ୍ଥାନ,

ସର୍ବତ୍ର ତାଡ଼ନା ଘୋର ଅପମାନ ।

ନିଜ ବାସେ ହେଲେ ନାହିଁ ତାର ଶାନ୍ତି,

ଭୋଗଇ ଗଞ୍ଜଣା କାହିଁ କେତେ ଘାନ୍ତି୩୫ ।

ଭାରତ-ସନ୍ତାନ ଘୃଣ୍ୟ ଉପେକ୍ଷିତ,

ଭାରତ ଭାରତୀ ଶୃଙ୍ଖଳା ପିହିତ ।

ଭାରତ ବିଭବେ ଅପର ବିଳାସୀ,

ଭାରତ-ନିବାସୀ ଚିର ଉପବାସୀ ।

ନହୁଷ ଯଯାତି ଶିବି ମହାଯଶା

ଶାସିଲେ ଯେ ରାଜ୍ୟ ତାର ଏହି ଦଶା !

ରାମ ଯୁଧିଷ୍ଠିର ଯାର ନରପତି,

ସେ ପ୍ରଜାକୁଳର ଆଜି ଏ ଦୁର୍ଗତି !

ସମଦର୍ଶୀ ଗୁଣେ ଯହିଁ ଆକବର,

ତୋଷିଲେ ସକଳ ପରଜା-ଅନ୍ତର,

ସେ ରାଜ୍ୟର ପ୍ରଜା କେତେ କାଳ ଆଉ,

ଭୋଗିବେ ଉତ୍କଟ ରାଜନୀତି ଦାଉ !

ଯେତେ ଦେବାଦେବୀ ଅଛନ୍ତି ଉତ୍କଳେ,

ଯାଆନ୍ତି ପରା ସେ ସର୍ବେ ନୀଳାଚଳେ ?

ବସେ ପରା ତହିଁ ଦେବସଭା ନିତି,

ପଡ଼େ ନାହିଁ କି ଏ ରାଜ୍ୟ ଗତି ସ୍ଥିତି ?

ପ୍ରଜା ଭୋଗେ ଯେତେ ଦୁଃଖ ଦୁରାଚାର ।

ସେସବୁ ତହିଁ କି ନ ହୁଏ ବିଚାର ?

ନ ହେଲେ ମା ଥରେ ପ୍ରଭୁଙ୍କ ନିକଟେ ;

ଏ ଦୁଃଖ ଗୁହାରି କରିବୁ ଆକଟେ ।

ବିସ୍ତାରି କହିବୁ ସବୁ କଥା ଟାଣେ ;

ଘେନିବେ ଯେପରି ଦିବ୍ୟ ଅବଧାନେ ।

କରୁଣା କଟାକ୍ଷେ ଚାହାନ୍ତୁ ସେ ବାରେ,

ବାଜିବ ସ୍ୱରାଜ୍ୟ-ଶଙ୍ଖ ସିଂହଦ୍ୱାରେ ।

ଉଡ଼ିବ ଅମ୍ବରେ ସ୍ୱରାଜ୍ୟ-କେତନ

ପ୍ରତିଷ୍ଠତ ହେବ ସ୍ୱରାଜ୍ୟ-ଶାସନ ।

ଦେବପ୍ରତିଷ୍ଠିତ ମହର୍ଷିସମ୍ମତ

ଜାଣିବ ଭାରତ, ଦେଖିବ ଜଗତ ।

ବିରାଜିବ ବିଶ୍ୱେ ଏକତା ସମତା,

ଶାନ୍ତି ଉଚ୍ଚାରିବେ ସ୍ୱରଗେ ଦେବତା ।

Image